Satvic Food: କାହିଁକି ସାରା ବିଶ୍ବରେ ପୁଷ୍ଟିଶସ୍ୟ ବା ମିଲେଟ୍ସ ପ୍ରତି ବଢୁଛି ଆଦର
ଶରୀରମାଦ୍ୟଂ ଖଳୁ ଧର୍ମ ସାଧନମ୍ । ଉପନିଷେଦରେ ଉଲ୍ଲେଖ ହୋଇଥିବା ଏହି ପଂକ୍ତିର ଅର୍ଥ କର୍ତ୍ତବ୍ୟ ପୂରଣ କରିବା ପାଇଁ ଶରୀର ହିଁ ଏକମାତ୍ର ସାଧନ । କୌଣସି ସିଦ୍ଧି ପ୍ରାପ୍ତି ପାଇଁ ଉତ୍ତମ ସ୍ବାସ୍ଥ୍ୟ ଆବଶ୍ୟକ । ଏବଂ ନିରୋଗ ଶରୀର ଗଠନ ପାଇଁ ସୁଷମ ଆହାର ଅତ୍ୟନ୍ତ ଆବଶ୍ୟକ । ଉତ୍ତମ ସ୍ବାସ୍ଥ୍ୟ ପ୍ରାପ୍ତି ପାଇଁ ଆପଣଙ୍କୁ ଖାଦ୍ୟ ପ୍ରତି ସଚେତନ ହେବାକୁ ପଡ଼ିବ ।
ଭାତ ଓ ରୁଟି ବଦଳରେ ପ୍ରମୁଖ ଖାଦ୍ୟ ତାଲିକାରେ ଯୁକ୍ତ କରନ୍ତୁ ମିଲେଟ୍ସ
ଫାଷ୍ଟ ଫୁଡ, ଜଙ୍କ ଫୁଡ, ଷ୍ଟ୍ରିଟ ଫୁଜ, ପ୍ୟାକେଟ ଫୁଡରୁ ମୋହ ତୁଟାଇ ମୂଳ ଭାରତୀୟ ଖାଦ୍ୟକୁ ଆଦରିବାକୁ ପଡ଼ିବ । କାରଣ ଆଧୁନିକ ସ୍ବାସ୍ଥ୍ୟ ବିଜ୍ଞାନ ପାରମ୍ପରିକ ଭାରତୀୟ ଖାଦ୍ୟକୁ ସର୍ବୋତ୍ତମ ସ୍ବୀକାର କରିସାରିଛି । ଭାତ ଓ ରୁଟିକୁ ଏବେ ପ୍ରମୁଖ ଖାଦ୍ୟ ତାଲିକାରୁ ହଟାଇବାର ସମୟ ଆସିଯାଇଛି । ବର୍ଷବର୍ଷ ଧରି କେବଳ ଭାତ ବା ରୁଟି ଖାଇବା ଫଳରେ ଶରୀରରେ ବିଭିନ୍ନ ପ୍ରଚାର ରୋଗ ସୃଷ୍ଟି ହେଉଛି । ତେଣୁ ଦୈନନ୍ଦିନ ଖାଦ୍ୟରେ ମିଲେଟ୍ସକୁ ସ୍ଥାନ ଦେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି । କାରଣ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ, ମିନେରାସ୍ସ, ପ୍ରୋଟିନ, ଫାଇବର ରହିଛି ।
ଭାରତରେ ବିଦେଶୀ ଶାସନ ଆରମ୍ଭ ପରେ ପ୍ରାଚୀନ କାଳରୁ ଭାରତରେ ଚାଲି ଆସିଥିବା ଖାଦ୍ୟ ପରମ୍ପରା ମଧ୍ୟ ପ୍ରଭାବିତ ହୋଇଥିଲା । ପୁଷ୍ଟିଶସ୍ୟ ବା ମିଲେଟ୍ସ ବଦଳରେ ଲୋକେ କେବଳ ଭାତ ଓ ରୁଟିକୁ ମୁଖ୍ୟ ଖାଦ୍ୟ ଭାବେ ଗ୍ରହଣ କରିବାକୁ ବାଧ୍ୟ ହୋଇଥିଲେ । କାରଣ ପାରମ୍ପରିକ ଖାଦ୍ୟ ପ୍ରତି ବିଦେଶୀମାନେ ଭାରତୀୟଙ୍କ ମନରେ ଘୃଣା ଭାବନା ସୃଷ୍ଟି କରିଥିଲେ । ହଜାର ହଜାର ବର୍ଷ ଧରି ଭାରତୀୟ ମାଣ୍ଡିଆ, ଯଅ, ବାଜରା, କାଙ୍ଗୁ, କୋଦ, ସୁଆଁ ଇତ୍ୟାଦି ପ୍ରାୟ ୧୨ ପ୍ରକାର ଖଦଡ଼ା ଶସ୍ୟ ବା ମିଲେଟ୍ସକୁ ମୁଖ୍ୟ ଆହାର ଭାବେ ଗ୍ରହଣ କରୁଥିଲେ । ଆବାହମାନ କାଳରୁ ଏହା ସଂଖ୍ୟାଧିକ ଲୋକଙ୍କର ଖାଦ୍ୟଥାଳିରେ ପ୍ରମୁଖ ସ୍ଥାନ ଗ୍ରହଣ କରିଥିଲା ।
ମିଲେଟ୍ସ ଗରିବଙ୍କ ଖାଦ୍ୟ ନୁହେଁ ବରଂ ସୁସ୍ଥ ବ୍ୟକ୍ତିଙ୍କ ଆହାର
ମାତ୍ର କାଳକ୍ରମେ ଏହାକୁ ଗରିବ ଲୋକଙ୍କ ଖାଦ୍ୟ ଭାବରେ ବିବେଚିତ କରାଗଲା । ଖାଦ୍ୟ ପିରାମିଡ୍ରେ ତଳେ ରଖାଗଲା ମିଲେଟ୍ସକୁ । ମୁଖ୍ୟ ଖାଦ୍ୟ ଶସ୍ୟ ଭାବରେ ସାରା ବିଶ୍ବରେ ରାଜୁତି କରି ଆସିଲା ଧାନ ଆଉ ଗହମ ଭଳି ଶସ୍ୟ ଓ ସେଥିରୁ ପ୍ରସ୍ତୁତ ଖାଦ୍ୟ । ଯେଉଁମାନେ ଆର୍ଥିକ, ସାମାଜିକ ଦୃଷ୍ଟିରୁ ପଛରେ ରହିଥିଲେ ବା ଯେଉଁମାନେ ଗରିବ ଶ୍ରେଣୀର ଲୋକ ସେହିମାନଙ୍କର ପ୍ରଧାନ ଆହାର ରହି ଆସିଥିଲା ମାଣ୍ଡିଆ ଆଉ ଅନ୍ୟାନ୍ୟ ମିଲେଟ୍ସ। ଏପରିକି ୧୯୬୦ ଦଶକରେ ଭାରତ ସମ୍ମୁଖୀନ ହୋଇଥିବା ଉତ୍କଟ ଖାଦ୍ୟ ଅଭାବ ମେଣ୍ଟାଇବା ପାଇଁ ଅଧିକ ଅମଳକ୍ଷମ ଧାନ ଓ ଗହମ ଚାଷ ବ୍ୟାପକ କରା ଯାଇଥିଲା ଯାହା ସବୁଜ ବିପ୍ଳବ ନାମରେ ପ୍ରସିଦ୍ଧ । ଏହି ଦୁଇ ଖାଦ୍ୟଶସ୍ୟର ଉତ୍ପାଦନ ବୃଦ୍ଧି ଘଟିବାରୁ PDS ମାଧ୍ୟମରେ ସରକାର ଶସ୍ତାରେ ଏହାକୁ ଆର୍ଥିକ ଭାବରେ ଦୁର୍ବଳ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପାଖରେ ପହଞ୍ଚାଇ ଦେଲେ । ଏହା ସେମାନଙ୍କ ଭୋକ ମେଣ୍ଟାଇବାରେ ସଫଳ ହେଲା ମାତ୍ର ଚାଉଳ ଗହମ ସହ ସେମାନେ ଆଉ ଖଦଡ଼ ଶସ୍ୟର ଖାଦ୍ୟ ବା ମିଲେଟ୍ସ ପ୍ରତି ଆକୃଷ୍ଟ ହେଲେନାହିଁ । କାରଣ ସେମାନେ ଚାଉଳ ଗହମଜାତ ଖାଦ୍ୟ ଦ୍ବାରା ଅଭ୍ୟସ୍ତ ହୋଇ ସାରିଥିଲେ ।
‘ଇଣ୍ଟରନ୍ୟାସନାଲ୍ କ୍ରପ୍ ରିସର୍ଚ୍ଚ ଇନିଷ୍ଟଚ୍ୟୁଟ୍ ଫର୍ ସେମି ଏରିଡ୍ ଟ୍ରପିକ୍ସ’ ତଥ୍ୟ ଅନୁସାରେ ଆମ ଦେଶରେ ଘଟିଥିବା ଏହି ଖାଦ୍ୟ ଅଭ୍ୟାସ ବଦଳିବାର ପରିଣାମ ସ୍ବରୂପ ୧୯୬୨ ମସିହାରେ ଭାରତର ମୁଣ୍ଡପିଛା ମାଣ୍ଡିଆ, ଯଅ, ବାଜରା ଇତ୍ୟାଦି ଖଦଡ଼ା ଶସ୍ୟର ବ୍ୟବହାର ପରିମାଣ ୪୦ କିଲୋଗ୍ରାମ ଥିବାବେଳେ ୨୦୧୦ ବେଳକୁ ତାହା ହ୍ରାସପାଇ ହୋଇଥିଲା ମାତ୍ର ୪ କିଲୋଗ୍ରାମ । ଅର୍ଥାତ୍ ୧୦ ପ୍ରତିଶତ ହ୍ରାସ ପାଇଥିଲା । ସେହିପରି ୧୯୬୦ ଦଶକରେ ଭାରତରେ ୩୭ ନିୟୂତ ହେକ୍ଟର ଜମିରେ ମିଲେଟ୍ ଜାତୀୟ ଶସ୍ୟ ଚାଷ ହେଉଥିବା ବେଳେ ୨୦୧୦ ବେଳକୁ ତାହା ମାତ୍ର ୧୪ ନିୟୂତ ହେକ୍ଟରରେ ସୀମିତ ହୋଇ ଯାଇଥିଲା । ଅନ୍ୟ ପକ୍ଷରେ ଚାଉଳ, ଗହମ ଇତ୍ୟାଦି ସବୁବେଳେ ଖାଦ୍ୟ ରୂପରେ ବ୍ୟବହାର କରିବାରୁ ଭାରତର ଅନେକ ଲୋକ ମଧୁମେହ, ଉଚ୍ଚ ରକ୍ତଚାପ, ମୋଟାପଣ, କୋଲେଷ୍ଟରଲ ବୃଦ୍ଧି ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟାରେ ପଡ଼ିବାକୁ ଆରମ୍ଭ କଲେ । ଏହାପରେ ଜଣାପଡ଼ିଲା ମିଲେଟ୍ସର ଉପକାରିତା ଯାହା ଏସବୁରୁ ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ।
ନ୍ୟୁଟ୍ରି ସେରିଏଲ ବା ସୁପର ଫୁଡ୍ ମିଲେଟ୍ସ
ସ୍ବାସ୍ଥ୍ୟ ଓ ପୁଷ୍ଟି ବିଶେଷଜ୍ଞମାନେ ଗବେଷଣାରୁ ଜାଣିପାରିଲେ ଯେ ମିଲେଟ୍ ଜାତୀୟ ଶସ୍ୟ ଓ ସେଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟରେ ଆବଶ୍ୟକୀୟ ପ୍ରଚୁର ପୁଷ୍ଟିସାର, ଜୀବସାର, ଖଣିଜସାର ଓ ଅନ୍ୟାନ୍ୟ ପୁଷ୍ଟି ତତ୍ତ୍ବ ଥିବାରୁ ତାହା ସମସ୍ତଙ୍କ ପାଇଁ ବେଶ୍ ଉପକାରୀ । କେବଳ ସେତିକି ନୁହେଁ ଏସବୁ ଖାଦ୍ୟଶସ୍ୟ ଜନସଂଖ୍ୟା ବୃଦ୍ଧିଜନିତ ଖାଦ୍ୟାଭାବକୁ ଦୂରକରି ବିକଳ୍ପ ଖାଦ୍ୟର ଭୂମିକା ନେଇପାରିବ । ଏହାର ଉତ୍ପାଦନକୁ ଗୁରୁତ୍ବ ଦିଆଗଲେ ସାରା ବିଶ୍ବର ଖାଦ୍ୟ ସମସ୍ୟା ମଧ୍ୟ ଦୂର କରିପାରିବ । ସେଥିପାଇଁ ଏହାର ନାମ ଦିଆଯାଇଛି ନ୍ୟୁଟ୍ରି ସେରିଏଲ ବା ସୁପର ଫୁଡ୍ ।
ମିଲେଟ୍ର ଉତ୍ପାଦନକୁ ପ୍ରୋତ୍ସାହନ ଓ ଏହାର ବ୍ୟବହାର ବୃଦ୍ଧି ପାଇଁ ୨୦୦୭ରେ ଭାରତ ସରକାର ‘ନ୍ୟାସନାଲ ମିଲେଟ୍ସ ମିଶନ’ ଆରମ୍ଭ କରିଥିଲେ ମାତ୍ର ତାହା ଲକ୍ଷ ହାସଲ କରିବାରେ ସଫଳ ହୋଇ ପାରିନଥିଲା । ମିଲେଟ୍ ଉତ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟ କର୍ଣ୍ଣାଟକର ପ୍ରସ୍ତାବ କ୍ରମେ ୨୦୧୮ ମସିହାକୁ ଦେଶରେ ‘ଜାତୀୟ ମିଲେଟ୍ ବର୍ଷ’ ବା ନ୍ୟାସନାଲ ଇୟର ଅଫ୍ ମିଲେଟ୍ସ ଭାବରେ ପାଳନ କରାଯାଇଥିଲା । ୨୦୧୮କୁ ‘ଆନ୍ତର୍ଜାତିକ ମିଲେଟ୍ ବର୍ଷ’ ଭାବରେ ପାଳନ କରିବା ପାଇଁ ଭାରତ ତରଫରୁ ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନକୁ ଏକ ପ୍ରସ୍ତାବ ପଠା ଯାଇଥିଲା ।
ମିଲେଟ୍ସକୁ ଲୋକଙ୍କ ଖାଇବା ପ୍ଲେଟ୍ ପର୍ଯ୍ୟନ୍ତ ପହଞ୍ଚାଇବା ସହ ବିଦେଶକୁ ରପ୍ତାନୀ ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ଭାରତ ସରକାର । ପୁଷ୍ଟିକର ଖାଦ୍ୟ ରପ୍ତାନି ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏହାର ସର୍ବୋଚ୍ଚ କୃଷି ରପ୍ତାନି ପ୍ରୋତ୍ସାହନ ସଂସ୍ଥା, କୃଷି ଏବଂ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ରପ୍ତାନି ବିକାଶ ପ୍ରାଧିକରଣ ବା ଏପିଇଡିଏ ମାଧ୍ୟମରେ ଡିସେମ୍ବର ୨୦୨୨ରୁ ସାରା ବିଶ୍ୱରେ ଭାରତୀୟ ମିଲେଟ ରପ୍ତାନିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ବ୍ୟାପକ ରଣନୀତି ପ୍ରସ୍ତୁତ ହୋଇଛି । ଭାରତର ପ୍ରସ୍ତାବ ବିଶ୍ବର ୭୨ଟି ଦେଶଙ୍କ ସମର୍ଥନ ପାଇଥିବାରୁ ମିଳିତ ଜାତିସଂଘ ୨୦୨୩କୁ ଅନ୍ତର୍ଜାତୀୟ ମିଲେଟ ବର୍ଷ ବା ଇଣ୍ଟରନ୍ୟାସନାଲ ଇୟର ଅଫ୍ ମିଲେଟ୍ସ ଭାବରେ ପାଳନ କରୁଛି ଯେଉଁଥିପାଇଁ ଭାରତର ମିଲେଟ୍ସ ବିଦେଶକୁ ରପ୍ତାନି ସହଜ ହୋଇଛି । ଜାତିସଂଘ ଦ୍ବାରା ଆନ୍ତର୍ଜାତିକ ଯୋଗଦିବସ ପାଳନ ଘୋଷଣା ପରେ ଏହା ଥିଲା ଭାରତ ଆଉ ଏକ ବିଜୟ ଏବଂ ଆମ ଦେଶ ପ୍ରତି ସମ୍ମାନ ।
ଭାରତର ମିଲେଟ୍ ଅଭିଯାନ
ଏବେ କେବଳ କ୍ଷୁଧା କବଳିତ ଆଫ୍ରିକୀୟ ଦେଶ ନୁହେଁ ଖାଦ୍ୟ ପ୍ରାଚୁର୍ଯ୍ୟ ଥିବା ଅନେକ ୟୁରୋପୀୟ ଓ ଆମେରିକୀୟ ଦେଶ ବି ଭାରତର ମିଲେଟ୍ ଅଭିଯାନ ପ୍ରତି ଆକୃଷ୍ଟ ହୋଇଛନ୍ତି । କେବଳ ଭାରତ ନୁହେଁ ବିଶ୍ବର ବିଭିନ୍ନ ଭାଗରେ ମିଲେଟ୍ସ ପ୍ରତି ବୃଦ୍ଧି ପାଇଛି ଆଗ୍ରହ । ଆଉ କେବଳ କରିବ ଲୋକ ନୁହଁନ୍ତି ଅନେକ ଧନୀକ ଲୋକଙ୍କ ଖାଦ୍ୟଥାଳିରେ ସ୍ଥାନ ପାଇଛି ମିଲେଟ୍ସ ପ୍ରସ୍ତୁତ ଖାଦ୍ୟ । ଖାଦ୍ୟ ଅଭ୍ୟାସ କ୍ଷେତ୍ରରେ ବିପ୍ଳବ ଆଣି ବିଶ୍ବର ଜନମାନସକୁ ପ୍ରଭାବିତ କରିବାରେ ଆଜି ଯେଉଁ ସଫଳତା ମିଳିଛି ସେହି ସଫଳତାର ଶ୍ରେୟ ଭାରତର ।
ଭାରତ ୨୦୨୧-୨୨ ଆର୍ଥିକ ବର୍ଷରେ ୩୪.୩୨ ମିଲିୟନ ଡଲାର ମୂଲ୍ୟର ମିଲେଟ୍ସ ରପ୍ତାନି କରିଛି । ବିଦେଶରେ ଥିବା ଭାରତୀୟ ମିଶନ ଗୁଡିକୁ ଭାରତୀୟ ମିଲେଟ୍ସର ବ୍ରାଣ୍ଡିଂ ଏବଂ ପ୍ରଚାରରେ ସାମିଲ୍ କରାଯାଇଛି । ଭାରତୀୟ ମିଲେଟ୍ସର ରପ୍ତାନି ପାଇଁ ୧୬ଟି ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ଏବଂ କ୍ରେତା ବିକ୍ରେତା ମିଟ୍ରେ ରପ୍ତାନିକାରୀ, କୃଷକ ଏବଂ ବ୍ୟବସାୟୀ ମାନଙ୍କର ଅଂଶଗ୍ରହଣ ବ୍ୟବସ୍ଥା କରାଯାଇଛି । ଆଇସିଏଆର୍ ଅଧିନରେ କାମ କରୁଥିବା ଭାରତୀୟ ମିଲେଟ୍ ଗବେଷଣା ସଂସ୍ଥାନ ବା ଆଇଆଇଏମ୍ଆର୍ ଓ ଅନ୍ୟାନ୍ୟ ସଂସ୍ଥା ଅନ୍ତର୍ଜାତୀୟ ବଜାରରେ ମିଲେଟ୍ ଉତ୍ପାଦର ପ୍ରୋତ୍ସାହନ ପାଇଁ ସରକାରଙ୍କ ସହ ମିଶି ପାଂଚ ବର୍ଷୀୟ ରଣନୈତିକ ଯୋଜନା ପ୍ରସ୍ତୁତ କରିଛନ୍ତି । ।
ଦକ୍ଷିଣ ଆଫ୍ରିକା, ଦୁବାଇ, ଜାପାନ, ଦକ୍ଷିଣ କୋରିଆ, ଇଣ୍ଡୋନେସିଆ, ସାଉଦି ଆରବ, ସିଡନୀ, ବେଲଜିୟମ, ଜର୍ମାନୀ, ୟୁନାଇଟେଡ୍ କିଙ୍ଗଡମ୍ ଏବଂ ଯୁକ୍ତରାଷ୍ଟ୍ର ଆମେରିକାରେ ଭାରତ ତରଫରୁ ଖାଦ୍ୟ ମେଳା, କ୍ରେତା ବିକ୍ରେତା ବୈଠକ ଏବଂ ରୋଡ୍ ଶୋ ଆୟୋଜନ କରାଯାଉଛି । ଆମେରିକାର ନ୍ୟୁୟର୍କ ସହରରେ ଥିବା ରେଷ୍ଟୁରାଣ୍ଟଗୁଡ଼ିକରେ ମିଲେଟ୍ ପ୍ରସ୍ତୁତ ଖାଦ୍ୟ ପରାଷାଯାଉଛି । କେନ୍ଦ୍ରର ମିଲେଟ ପ୍ରୋତ୍ସାହନ ରଣନୀତି ଅନୁଯାୟୀ, ପ୍ରମୁଖ ଆନ୍ତର୍ଜାତୀୟ ଖୁଚୁରା ସୁପର ମାର୍କେଟ୍ ଚେନ୍ ଗୁଡ଼ିକରେ ମଧ୍ୟ ମିଲେଟ୍ର ବ୍ରାଣ୍ଡିଂ ଏବଂ ପ୍ରଚାର ପାଇଁ ମିଲେଟ୍ କର୍ଣ୍ଣର ପ୍ରତିଷ୍ଠା କରାଯାଉଛି।
ଜାତିସଂଘ FAO ର ତଥ୍ୟ ଅନୁଯାୟୀ, ୨୦୨୦ ମସିହାରେ ମିଲେଟର ବିଶ୍ୱ ସ୍ତରୀୟ ଉତ୍ପାଦନ ୩୦.୪୬୪ ମିଲିୟନ୍ ମେଟ୍ରିକ୍ ଟନ୍ ରହିଥିଲା ଏବଂ ଏଥିରେ ଭାରତର ଅଂଶ ଥିଲା ୧୨.୪୯ ମିଲିୟନ୍ ମେଟ୍ରିକ୍ ଟନ୍, ଯାହା ମୋଟ ମିଲେଟ୍ ଉତ୍ପାଦନର ୪୧ ପ୍ରତିଶତ ଅଟେ । ତେଣୁ ଭାରତ ବିଶ୍ବର ସର୍ବାଧିକ ମିଲେଟ୍ ଉତ୍ପାଦନ କରୁଥିବା ଦେଶ ଆଉ ରପ୍ତାନୀରେ ଦ୍ବିତୀୟ ସ୍ଥାନରେ ରହିଛି । ୨୦୨୧ -୨୨ ର ପୂର୍ବ ବର୍ଷରେ ଭାରତରେ ୧୫.୯୨ ଏମ୍ଏମ୍ଟି ମିଲେଟ ଉତ୍ପାଦନ ହୋଇଥିବା ବେଳେ ୨୦୨୧ -୨୨ ରେ ଏଥିରେ ୨୭ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା । ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ ମିଲେଟ୍ ରପ୍ତାନି କ୍ଷେତ୍ରରେ ଭାରତ ୮.୦୨ % ଅଭିବୃଦ୍ଧି ହାସଲ କରିଛି, କାରଣ ତା ପୁର୍ବବର୍ଷ ସମାନ ସମୟ ମଧ୍ୟରେ ୧୪୭,୫୦୧.୦୫ ମେଟ୍ରିକ୍ ଟନ୍ ତୁଳନାରେ ମିଲେଟ୍ ରପ୍ତାନି ୧୫୯,୩୩୨.୧୬ ମେଟ୍ରିକ୍ ଟନ୍ ହୋଇଛି । ଭାରତ ମିଲେଟ ରପ୍ତାନି କରୁଥିବା ପ୍ରମୁଖ ଦେଶ ଗୁଡ଼ିକ ହେଉଛି , ୟୁଏଇ, ନେପାଳ, ସାଉଦି ଆରବ, ଲିବିୟା, ଓମାନ, ଇଜିପ୍ଟ, ଟ୍ୟୁନିସିଆ, ୟେମେନ, ୟୁକେ ଏବଂ ଆମେରିକା । ଅନୁମାନ କରାଯାଉଛି ଯେ ମିଲେଟର ବଜାର ବର୍ତ୍ତମାନର ବଜାର ମୂଲ୍ୟ ୯ ବିଲିୟନ ଡଲାରରୁ ୨୦୨୫ ସୁଦ୍ଧା ୧୨ ବିଲିୟନ ଡ଼ଲାରରୁ ବୃଦ୍ଧି ପାଇବ ।
ଆମଦେଶରେ ମିଲେଟ୍ସର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ଭାରତରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ଅଧ୍ୟକ୍ଷତାରେ ଇଣ୍ଟରନ୍ୟାସନାଲ ଇୟର ଅଫ୍ ମିଲେଟ୍ସ - ୨୦୨୩ ର ପ୍ରି-ଲଂଚ ୨୪ ନଭେମ୍ବର, ୨୦୨୨ ରେ ହୋଇଥିଲା । ଏଥିରେ କ୍ରେତା-ବିକ୍ରେତା ବୈଠକ ମଧ୍ୟ ଆୟୋଜିତ ହୋଇଥିଲା ଯେଉଁଥିରେ କିଛି ବିଦେଶ ପ୍ରତିନିଧି ଯୋଗ ଦେଇଥିଲେ ।
ଏହା ପୂର୍ବରୁ ୨୦୨୨ ଏପ୍ରିଲରେ APEDA ତରଫରୁ ଆହାର ଖାଦ୍ୟମେଳା ଜରିଆରେ ଦେଶର ସବୁ ବୟସବର୍ଗର ଖାଉଟିଙ୍କ ପାଇଁ ଗ୍ଲୁଟନ୍ ମୁକ୍ତ ରେଡ଼ି ଟୁ ଇଟ୍ ମିଲେଟ୍ ଉତ୍ପାଦ ଲଂଚ୍ କରା ଯାଇଥିଲା । ମିଲେଟ୍କୁ ପ୍ରୋତ୍ସାହନ ଦେବାପାଇଁ ଷ୍ଟାର୍ଟ ଅପ୍ ସଂସ୍ଥାଗୁଡ଼ିକୁ ଗୋଟିଏ ପ୍ଲାଟଫର୍ମକୁ ଆଣିବା ପାଇଁ କାମ କରୁଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ପ୍ରୋତ୍ସାହନ ସ୍ବରୂପ ଶିଶୁ ଖାଦ୍ୟ ଏବଂ ପୁଷ୍ଟିକର ଦ୍ରବ୍ୟ ଗୁଡିକରେ ମିଲେଟର ବ୍ୟବହାର ବୃଦ୍ଧି ପାଉଛି । ଅନେକ ରାଜ୍ୟରେ ଅଙ୍ଗନବାଡ଼ି ଏବଂ ମିଡ୍ ଡେ ମିଲ୍ସରେ ମିଲେଟକୁ ସାମିଲ୍ କରାଯାଇଛି । ଏହାସହ ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ ମଧ୍ୟ ‘ନ୍ୟୁଟ୍ରି ସେରିଏଲ’ ନାମରେ କିଛି ମିଲେଟ୍ସକୁ ଅନ୍ତର୍ଭୁକ୍ତ କରିଛନ୍ତି କେନ୍ଦ୍ର ସରକାର । ଆଥଲେଟ୍ମାନଙ୍କୁ ଫିଟନେସ୍ ପାଇଁ ମିଲେଟ୍ସ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଉଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ, ଏନଡ଼ିଆରଏଫ୍ ଯବାନଙ୍କୁ ଭୋଜନରେ ମିଲେଟ୍ ଦିଆଯାଉଛି ।
ମାଣ୍ଡିଆ, ଯଅ, ବାଜରା ଇତ୍ୟାଦି ପାଇଁ ଏମଏସପିର ବ୍ୟବସ୍ଥା ରହିଛି । ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ୨୦୨୩-୨୪ ବଜେଟ୍ ଅଭିଭାଷଣରେ ମିଲେଟ୍ସକୁ ନୂଆ ନାଁ ଦେଇଥିଲେ ‘ଶ୍ରୀ ଅନ୍ନ’ । ମିଲେଟ୍ ବାବଦରେ ଗବେଷଣା ପାଇଁ ବଜେଟ୍ ବ୍ୟବସ୍ଥା ମଧ୍ୟ କରାଯାଇଛି ।
୨୦୨୩ ମାର୍ଚ୍ଚ ୧୮ରେ ଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଆନ୍ତର୍ଜାତିକ ମିଲେଟ୍ସ ସମ୍ମିଳନୀ ଉଦଘାଟିତ ହୋଇଥିଲା । ମିଲେଟ୍ସ ଉତ୍ପାଦନ ପାଇଁ ଗୁଏନା ଭଳି କେତେକ ବିଦେଶ ରାଷ୍ଟ୍ର ଓ ଭାରତ ମଧ୍ୟରେ ସହଭାଗିତା ପ୍ରତିଷ୍ଠା ହୋଇଛି। ଗୁଏନାରେ କେବଳ ୨୦୦ ଏକର ଜମିରେ ମିଲେଟ୍ସ ଚାଷ କରାଯିବ ଏବଂ ଏଥିପାଇଁ ଭାରତ ପ୍ରଯୁକ୍ତି ସହାୟତାରେ ବୈଷୟିକ ମାର୍ଗଦର୍ଶନ ଓ ସହାୟତା ଯୋଗାଇ ଦେବ ।
Also read: କାହିଁକି ଶାକାହାରୀ ଭୋଜନ ପ୍ରତି ବଢୁଛି ଲୋକଙ୍କ ଆଗ୍ରହ
ମିଲେଟ୍ସ ପ୍ରତି ବିଶ୍ବର ଦୃଷ୍ଟି ଆକର୍ଷଣ
ବିଭିନ୍ନ ଆନ୍ତର୍ଜାତିକ ପ୍ଲାଟଫର୍ମରେ ଭାରତ ମିଲେଟ୍ସ ପ୍ରତି ବିଶ୍ବର ଦୃଷ୍ଟି ଆକର୍ଷଣ କରିଆସୁଛି । ମିଲେଟ୍ ଖାଦ୍ୟ ପ୍ରତି ସଚେତନତା ସୃଷ୍ଟି ପାଇଁ ଶ୍ରୀଅନ୍ନ ମହୋତ୍ସବ ଆୟୋଜନ କରାଯାଉଛି । ଫଳରେ ମାସିକ ମୁଣ୍ଡ ପିଛା ମିଲେଟ୍ସ ସେବନ ହାର ୩ କିଲୋଗ୍ରାମରୁ ୧୪ କିଲୋଗ୍ରାମକୁ ବୃଦ୍ଧି ପାଇଛି। ମିଲେଟରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀର ବିକ୍ରି ମଧ୍ୟ ପ୍ରାୟ ୩୦% ବଢ଼ିଛି। କେନ୍ଦ୍ର ସରକାରଙ୍କ ମିଲେଟ୍ ମିଶନ ଦେଶର ୨.୫ କୋଟି ମିଲେଟ୍ ଉତ୍ପାଦନକାରୀ ଚାଷୀଙ୍କ ପାଇଁ ବରଦାନ ପାଲଟିଛି ।
ମୁଖ୍ୟତଃ ମାଣ୍ଡିଆ, ସୁଆଁ, କାଙ୍ଗୁ, କୋଦ, ଯଅ ଓ ବାଜରା ଆଦି ମିଲେଟ୍ ଜାତୀୟ ଫସଲ ଓଡ଼ିଶାର ପାରମ୍ପରିକ ଚାଷବାସ ସହିତ ବହୁକାଳରୁ ସମ୍ପୃକ୍ତ । ମିଲେଟ ବା ଶ୍ରୀଅନ୍ନକୁ ଲୋକପ୍ରିୟ କରିବା ପାଇଁ ଓଡ଼ିଶା ସରକାର ୨୦୧୭-୧୮ରେ ଯେଉଁ ମିଶନ ଆରମ୍ଭ କରିଥିଲେ ସେଥିପାଇଁ ଏକ ପାଂଚ ବର୍ଷିଆ ଲକ୍ଷ୍ୟ ଧାର୍ଯ୍ୟ କରା ଯାଇଥିଲା । ପରେ ଏହି ଅଭିଯାନକୁ ୨୦୨୬-୨୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ରାଜ୍ୟର ୧୯ଟି ଜିଲ୍ଲାରେ ୧୪୩ଟି ବ୍ଲକ୍ରେ ମିଲେଟ୍ ମିଶନ କାମ କରୁଛି । ରାଜ୍ୟର ପ୍ରତି ଜିଲ୍ଲାରେ ମିଲେଟ୍ ହବ୍ ପ୍ରତିଷ୍ଠା ପାଇଁ ଘୋଷଣା କରାଯାଇଛି । ୨୦୨୨ ନଭେମ୍ବରରେ ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ‘ମାଣ୍ଡିଆ ଦିବସ’ ଭାବରେ ପାଳନ କରିଥିଲେ ଓଡ଼ିଶାବାସୀ ।
୨୦୨୨-୨୩ ଖରିଫ୍ ଋତୁରେ ରାଜ୍ୟ ମିଲେଟ୍ ମିଶନ ଜରିଆରେ କୃଷକଙ୍କଠାରୁ ୬ ଲକ୍ଷ କ୍ବିଣ୍ଟାଲ ମାଣ୍ଡିଆ କିଣାଯାଇଛି । ଏଥିପାଇଁ କ୍ବିଣ୍ଟାଲ ପିଛା ୩ ହଜାର ୫ଶହ ୭୮ ଟଙ୍କା ଏମଏସପି ପ୍ରଦାନ କରାଯାଇଛି । ମୁଖ୍ୟତଃ ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟ ସ୍ଥାନୀୟ ଭାବେ ଉତ୍ପାଦିତ ବିଭିନ୍ନ କିସମର ଶ୍ରୀଅନ୍ନ ବିହନ ସଂରକ୍ଷଣ କରିବାର ପ୍ରାଚୀନ ପରମ୍ପରା ରକ୍ଷା କରି ଆସୁଛନ୍ତି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହି ପାରମ୍ପରିକ ସ୍ଥାନୀୟ ଶ୍ରୀଅନ୍ନ ବିହନର ଚିହ୍ନଟ, ମାନ୍ୟତା ପ୍ରଦାନ, ବିକାଶ, ପ୍ରସାର ଓ ସୁରକ୍ଷା ପାଇଁ ଏକ ଧାର୍ଯ୍ୟ କୃଷି ପରିଚାଳନା ବା ଷ୍ଟାଣ୍ଡାର୍ଡ ଅପରେସନ ପ୍ରକ୍ରିୟା ବିକଶିତ କରିଛି । ଏହି ବ୍ୟବସ୍ଥା ବିକଶିତ କରିବାରେ ଭାରତୀୟ କୃଷି ଗବେଷଣା ପରିଷଦ ଆଇସିଏଆର୍, ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ, ବୈଷୟିକ ବିଶେଷଜ୍ଞ, ସମ୍ପୃକ୍ତ ଆଦିବାସୀ ଚାଷୀ ଏବଂ କେତେକ ସ୍ୱେଚ୍ଛାସେବୀ ସଂଗଠନଙ୍କ ସହାୟତା ଓ ପରାମର୍ଶ ନିଆଯାଉଛି ।
No comments