jiban-dhara












Latest

RAM MANDIR HISTORY: ଜୟ ଶ୍ରୀରାମ ଧ୍ବନିରେ ମୁଖରିତ ଅଯୋଧ୍ୟା ଆକାଶ

 

RAM MANDIR HISTORY 1528 TO 2020  IN ODIA || SAMSKRITI
RAM MANDIR HISTORY 1528 TO 2020  IN ODIA || SAMSKRITI


2024 ଜାନୁଆରୀ ପହିଲାରେ ଅପେକ୍ଷାର ଅନ୍ତ

ପୂର୍ଣ୍ଣ ହେବ ସଂକଳ୍ପ, ଦୀର୍ଘ ଅପେକ୍ଷାର ହେବ ଅନ୍ତ । ଅଯୋଧ୍ୟାରେ ଜାରି ରହିଛି ରାମ ମନ୍ଦିର ନିର୍ମାଣ । ଜୟ ଶ୍ରୀରାମ ଧ୍ବନିରେ ମୁଖରିତ ହେଉଛି ଅଯୋଧ୍ୟା ଆକାଶ । କାରଣ ଆସନ୍ତାବର୍ଷ ଜାନୁଆରୀ ପହିଲାରେ ଶୁଭ ଉଦଘାଟିତ ହେବାକୁ ଯାଉଛି ଶ୍ରୀରାମ ମନ୍ଦିର । ସେହି ରାମ ମନ୍ଦିର, ପଞ୍ଚଦଶ ଶତାବ୍ଦୀରୁ ଯେଉଁ ରାମ ମନ୍ଦିରର ସ୍ବପ୍ନ ଦେଖିଥିଲେ ଭାରତବାସୀ । 

ଯେତେବେଳେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ନିର୍ମାଣ ପାଇଁ ସୁପ୍ରିମକୋର୍ଟ ନିଷ୍ପତ୍ତି ଶୁଣାଇଥିଲେ, ସେତେବେଳେ ଭକ୍ତଙ୍କ ମନରେ  ଖେଳିଯାଇଥିଲା ଖୁସିର ଲହରୀ । ଏହାସହିତ 9 ନଭେମ୍ବର 2019 ଓ 5 ଅଗଷ୍ଟ 2020 ତାରିଖ ଭାରତ ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଥିଲା । କାରଣ 9 ନଭେମ୍ବରରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଥିଲେ ଏବଂ 5 ଅଗଷ୍ଟରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ହୋଇଥିଲା ଭୂମି ପୂଜନ । କିନ୍ତୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ଯାତ୍ରା ଏତେ ସହଜ ନଥିଲା । 1528ରୁ 2019 ରାମ ମନ୍ଦିରର 491 ବର୍ଷର ଇତିହାସର ପ୍ରତି ପୃଷ୍ଠା ଭକ୍ତ ଓ କରସେବକଙ୍କ ରକ୍ତରେ ରଞ୍ଜିତ ହୋଇଛି ।

492 ବର୍ଷର ସଂକଳ୍ପ ଓ ସଂଘର୍ଷ

ଜୟ ଶ୍ରୀରାମ ଧ୍ବନିରେ ମୁଖରିତ ଅଯୋଧ୍ୟା ଆକାଶ । ଗଢ଼ା ଚାଲିଛି ସ୍ବପ୍ନର ମନ୍ଦିର । ଜନ୍ମସ୍ଥାନ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ମନ୍ଦିରର ପୁନର୍ନିମାଣ ଜାରି ରହିଛି । ପଞ୍ଚଦଶ ଶତାବ୍ଦୀରୁ ଯେଉଁ ରାମ ମନ୍ଦିରର ସ୍ବପ୍ନ ଦେଖିଆସୁଥିଲେ ଭାରତବାସୀ । ଭାରତ ଇତିହାସରେ 9 ନଭେମ୍ବର 2019 ଓ 5 ଅଗଷ୍ଟ 2020ର ତାରିଖ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇଛି । କାରଣ 9 ନଭେମ୍ବରରେ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ଶୁଣାଇଥିବାବେଳେ 5 ଅଗଷ୍ଟରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 1528ରୁ 2019, ଦୀର୍ଘ 491 ବର୍ଷର ଇତିହାସର ମୁଖପତ୍ରରେ ସ୍ଥାନିତ ହେବାକୁ ଯାଉଛି ଆଉ ଏକ ତାରିଖ । ଏପ୍ରିଲ 1, 2014 ।  ଏହି ଦିବସରେ ଅଯୋଧ୍ୟାରେ ରାମ ମନ୍ଦିରର ଶୁଭ ଉଦଘାଟନ ହେବାକୁ ଯାଉଛି ।  

ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ତିଥି ଓ ତାରିଖ

ଅଯୋଧ୍ୟା ନରେଶ ଭଗବାନ ଶ୍ରୀରାମ ଜନ୍ମଭୂମି ମନ୍ଦିରର ପୁରା ଇତିହାସ ବୟାନ କରିବା ଅସମ୍ଭବ । କାରଣ, କେବଳ ମନ୍ଦିରର ଐତିହାସିକ ଏବଂ ଆଇନଗତ ମହତ୍ତ୍ବକୁ ଦର୍ଶାଯାଇପାରେ, କିନ୍ତୁ ଏହାର ଅସୀମିତ ଧାର୍ମିକ ଏବଂ ପୌରାଣିକ ମାନ୍ୟତାକୁ ଶବ୍ଦ କିମ୍ବା ଦୃଶ୍ୟରେ ସଂରକ୍ଷଣ କରିବା ଅସମ୍ଭବ । ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ 9 ନଭେମ୍ବର 2019ରେ ରାମ ମନ୍ଦିର ସପକ୍ଷରେ ରାୟ ଶୁଣାଇଥିଲେ । ହିନ୍ଦୁ ପକ୍ଷ ଅନୁସାରେ 1528ରେ ମୋଗଲ ବାଦଶାହ ବାବରର ସେନାପତି ମୀର ବାକୀ, ମନ୍ଦିର ଭାଙ୍ଗି ବାବରୀ ମସଜିଦ୍ ନିର୍ମାଣ କରିଥିଲେ । ଦୀର୍ଘ ସଂଘର୍ଷ ପରେ ଶେଷରେ 5 ଅଗଷ୍ଟ 2020ରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  1528ରୁ  2020 ଯାଏ ରାମ ମନ୍ଦିର ଇତିହାସରେ ଆସିଛି ଅନେକ ମୋଡ଼ । 

ବର୍ଷ 1527-1528

ଖ୍ରୀଷ୍ଟାବ୍ଦ 1527 ଓ 1528 ବର୍ଷ ଥିଲା ଭାରତ ପାଇଁ କଳା ବର୍ଷ। ଏହି ସମୟ ଖଣ୍ଡରେ ମୋଗଲ ଶାସନରେ ଦୁର୍ବଳ ହୋଇସାରିଥିବା ଭାରତବାସୀଙ୍କ ଆତ୍ମା ଉପରେ ହୋଇଥିଲା କୁଠାରଘାତ । ପ୍ରତି ଭାରତୀୟଙ୍କ ହୃଦୟରେ ବିରାଜିତ ପ୍ରଭୁ ଶ୍ରୀରାମଙ୍କ ଜନ୍ମଭୂମି ଉପରେ ହୋଇଥିଲା ଆକ୍ରମଣ ।  1528 ଖ୍ରୀଷ୍ଟାବ୍ଦରେ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମୀର ବାକି ଶ୍ରୀରାମଙ୍କ ଜନ୍ମଭୂମିରେ ଥିବା ମନ୍ଦିର ଭାଙ୍ଗି, ସେହି ସ୍ଥାନରେ ନିର୍ମାଣ କରିଥିଲେ ବାବରୀ ମସଜିଦ । ଏହାପରଠାରୁ ଏହି ସ୍ଥାନ ପାଲଟିଯାଇଥିଲା ବିବାଦୀୟ ସ୍ଥାନର ଠିକଣା । ହିନ୍ଦୁ ପକ୍ଷର ଦାବି ଅନୁସାରେ ଏହି ସ୍ଥାନ ଥିଲା ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମସ୍ଥାନ । ଏଠାରେ ରହିଥିଲା ଏକ ପ୍ରାଚୀନ ମନ୍ଦିର । ପୌରାଣିକ ମତାନୁସାରେ ମନ୍ଦିରର ମୁଖ୍ୟ ଗମ୍ବୁଜ ତଳେ ଥିଲା ଭଗବାନ ରାମଙ୍କ ଜନ୍ମସ୍ଥାନ । ବାବ୍ରି ମସଜିଦ ମୂଳ ମନ୍ଦିରର ତିନିଟି ଗମ୍ବୁଜ ଉପରେ ଠିଆ ହୋଇଥିଲା।

ବର୍ଷ 1853-1949

1853 ମସିହାରେ ଏହି ସ୍ଥାନରେ ପ୍ରଥମ ଥର ପାଇଁ ଦଙ୍ଗା ହୋଇଥିଲା । ମୁହାଁମୁହିଁ ହୋଇଥିଲେ ହିନ୍ଦୁ ଓ ମୁସଲିମ ପକ୍ଷ । 1859 ମସିହାରେ, ବ୍ରିଟିଶ ପ୍ରଶାସନ ବିବାଦୀୟ ସ୍ଥାନ ଚାରିପାଖରେ ଏକ ବାଡ଼ ଲଗାଇଥିଲେ । ଉଭୟ ହନ୍ଦୁ ଓ ମୁସଲିମ ପକ୍ଷକୁ ସନ୍ତୁଷ୍ଟ କରିବାକୁ ଯାଇ ଉଭୟ ପକ୍ଷଙ୍କୁ ପୂଜା ଅନୁମତି ଦେଇଥିଲେ ବ୍ରିଟିଶ ସରକାର । କିନ୍ତୁ ବିବାଦୀୟ ନିର୍ମାଣ ଭିତର ପାର୍ଶ୍ବରେ ମୁସଲମାନଙ୍କୁ ପ୍ରବେଶ ଅନୁମତି ମିଳିଥିବାବେଳେ ବାହାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ଅନୁମତି ମିଳିଥିଲା । 

ବର୍ଷ 1949

ରକ୍ତପାତ ଓ ହିଂସାତ୍ମକ ବିବାଦ ଆରମ୍ଭ ହୋଇଥିଲା 23 ଡିସେମ୍ବର 1949ରେ । ଯେତେବେଳେ ମସଜିଦରେ ଭଗବାନ ରାମଙ୍କ ମୂର୍ତ୍ତି ଠାବ ହୋଇଥିଲା । ମନ୍ଦିରରେ ଶ୍ରୀରାମ ପ୍ରକଟ ହୋଇଥିବା ହିନ୍ଦୁ ପକ୍ଷ ଦାବି କରିଥିବାବେଳେ, ରାତ୍ରି ସମୟରେ କେହି ରାମଚନ୍ଦ୍ରଙ୍କ ମୂର୍ତ୍ତି ରଖିଥିବା ଅଭିଯୋଗ କରିଥିଲେ ମୁସଲିମ ପକ୍ଷ । ମୂର୍ତ୍ତିଗୁଡ଼ିକୁ ସ୍ଥାନାନ୍ତର କରିବାକୁ ୟୁପି ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଜିଲ୍ଲା ମାଜିଷ୍ଟ୍ରେଟ କେ.କେ ନାୟାର ଦଙ୍ଗା ତଥା ହିନ୍ଦୁ ପକ୍ଷର ଉତ୍ତେଜନାକୁ ଭୟ କରି ନିର୍ଦ୍ଦେଶ ପାଳନ କରିବାରେ ଅକ୍ଷମତା ପ୍ରକାଶ କରିଥିଲେ । ଏହାକୁ ଏକ ବିବାଦୀୟ ଗଠନ ଦର୍ଶାଇ ସରକାର ଏହି ପ୍ରକୋଷ୍ଠକୁ ସ୍ଥାୟୀ ଭାବେ ବନ୍ଦ କରିଦେଇଥିଲେ । 

ବର୍ଷ 1950

1950ରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଯାହାକୁ ନେଇ  ଫୈଜାବାଦ ସିଭିଲ କୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା । ଗୋଟିଏ ଆବେଦନରେ ରାମଲାଲାଙ୍କ ପୂଜା ପାଇଁ ଅନୁମତି ଏବଂ ଅନ୍ୟଟି ଥିଲା ବିବାଦୀୟ ସ୍ଥାନରେ ଭଗବାନ ରାମଙ୍କ ପ୍ରତିମା ରଖି ପୂଜା କରିବାକୁ ଅନୁମତି ଦାବି । 1959ରେ, ଶ୍ରୀରାମଙ୍କ ମୂର୍ତ୍ତି ପୂଜା ପାଇଁ ନିର୍ମୋହି ଆଖଡ଼ା ପକ୍ଷରୁ ତୃତୀୟ ଆବେଦନ କରାଯାଇଥିଲା । 

ବର୍ଷ 1961

ଏହାପରେ 1961ରେ ଉତ୍ତରପ୍ରଦେଶ ସୁନ୍ନି ୱାକଫ ବୋର୍ଡ ବିବାଦୀୟ ସ୍ଥାନ ଅଧିକାର କରିବାକୁ ଉଦ୍ୟମ ଆରମ୍ଭ କରିଥିଲା । ବିବାଦୀୟ ସ୍ଥାନର ଆକୃତି ପରିବର୍ତ୍ତନ ସହିତ ଶ୍ରୀରାମଙ୍କ ମୂର୍ତ୍ତିଗୁଡ଼ିକୁ ସ୍ଥାନାନ୍ତର କରିବାକୁ ଆବେଦନ କରିଥିଲା ସୁନ୍ନି ୱାକଫ ବୋର୍ଡ। ଯାହାକୁ ନେଇ ପୁନର୍ବାର ଦଙ୍ଗାର ସୁତ୍ରପାତ ହୋଇଥିଲା ।

ବର୍ଷ 1984

ଏହାପରେ 1984ରେ ବିଶ୍ବ ହିନ୍ଦୁ ପରିଷଦ ବିବାଦୀୟ ସଂରଚନା ସ୍ଥାନରେ ଶ୍ରୀରାମ ମନ୍ଦିର ନିର୍ମାଣ କରିବାକୁ ଏକ କମିଟି ଗଠନ କରିଥିଲା।

ବର୍ଷ 1986

1 ଫେବୃଆରୀ 1986ରେ ୟୁସି ପାଣ୍ଡେଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲା । ଯେଉଁଥିରେ ପ୍ରମାଣ ଆଧାରରେ ହିନ୍ଦୁ ପକ୍ଷକୁ ପୂଜା ପାଇଁ ଅନୁମତି ମିଳିଥିଲା । ଫୈଜାବାଦ ଜିଲ୍ଲା ଜଜ୍ କେ.ଏମ ପାଣ୍ଡେ ହିନ୍ଦୁ ବର୍ଗକୁ ପୂଜା କରିବାକୁ ଅନୁମତି ଦେବା ସହ ସଂରଚନାରେ ଥିବା ତାଲା ହଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ବର୍ଷ 1990

1990ରେ ଶ୍ରୀ ରାମ ଜନ୍ମଭୂମି ବିବାଦ ଚରମ ସୀମାରେ ପହଞ୍ଚିଥିଲା । ସାରା ଭାରତରେ ଶ୍ରୀରାମ ଭକ୍ତଙ୍କୁ ଏକଜୁଟ କରିବା ଉଦ୍ଦେଶ୍ୟରେ ତତ୍କାଳୀନ ବିଜେପି ସଭାପତି ଲାଲକୃଷ୍ଣ ଆଡଭାନୀ କନ୍ୟାକୁମାରୀରୁ ଆରମ୍ଭ କରିଥିଲେ ଶ୍ରୀରାମ ରଥଯାତ୍ରା । ଏହି ରଥଯାତ୍ରା ଫଳରେ ସାରା ଭାରତବର୍ଷରେ ରାମ ମନ୍ଦିର ପାଇଁ ଦାବି ଜୋରଦାର ହୋଇଥିଲା ।

6 ଡିସେମ୍ବର 1992

1992 ଡିସେମ୍ବରରେ ଏଲ.କେ. ଆଡଭାନୀଙ୍କ ରଥଯାତ୍ରା ସମ୍ପୂର୍ଣ୍ଣ ହୋଇଥିଲା । ଆରଏସଏସ, ଭିଏଚପି, ଶିବସେନା, ଅନ୍ୟ ହିନ୍ଦୁ ସଂଗଠନର ଲକ୍ଷାଧିକ ସଂଗଠକ ଅଯୋଧ୍ୟାରେ ବିବାଦୀୟ ଗଠନକୁ ଭାଙ୍ଗି ଦେଇଥିଲା । ଏହାପରେ ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଦଙ୍ଗା ସ୍ଥିତି ଦେଖାଦେଇଥିଲା । ରକ୍ତାକ୍ତ ସଂଘର୍ଷରେ 2 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । 

ବର୍ଷ 2002

2002ରେ ଅଯୋଧ୍ୟାରୁ ଫେରୁଥିବା ହିନ୍ଦୁ କର୍ମକର୍ତ୍ତାଙ୍କ ଉପରେ ଆତର୍କିତ ଆକ୍ରମଣ ହୋଇଥିଲା । ଟ୍ରେନ ଗୁଜରାଟର ଗୋଧ୍ରା ଷ୍ଟେସନରେ ଅଟକିଥିବାବେଳେ ଶତ୍ରୁ ପକ୍ଷ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ । ଯେଉଁଥିରେ 58 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହାପରେ ଗୁଜରାଟରେ ହୋଇଥିବା ଦଙ୍ଗାରେ 2 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । 

ବର୍ଷ 2010

ଅଯୋଧ୍ୟାରେ ବିବାଦୀୟ ସ୍ଥଳକୁ ନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ ଆହ୍ଲାବାଦ ହାଇକୋର୍ଟ । ସୁନି ୱାକଫ ବୋର୍ଡ, ରାମଲାଲା ବିରାଜମାନ ଓ ନିର୍ମୋହୀ ଆଖଡ଼ା ମଧ୍ୟରେ 3ଟି ସମାନ ଭାଗରେ ବିବାଦୀୟ ସ୍ଥଳକୁ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । 

ବର୍ଷ 2011

ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । 3 ପକ୍ଷ ମଧ୍ୟରେ ବିବାଦୀୟ ସ୍ଥାନ ବଣ୍ଟନ ଫଳରେ ସମାଧାନ ବଦଳରେ ଅଧିକ ହିଂସାକାଣ୍ଡ ଘଟିବ ବୋଲି କହିଥିଲେ ସୁପ୍ରିମକୋର୍ଟ । 

ବର୍ଷ 2017

2017ରେ ପୁଣି ବିବାଦ ବଢିଥିଲା । ସୁପ୍ରିମକୋର୍ଟ ଆଉଟ ଅଫ କୋର୍ଟ ସେଟଲମେଣ୍ଟକୁ ଆହ୍ୱାନ କରିଥିଲେ । କାରଣ ବିବାଦୀୟ ଗଠନ ଭଙ୍ଗ ମାମଲାରେ ବିଜେପିର ଏକାଧିକ ଶୀର୍ଷ ସ୍ତରୀୟ ନେତାଙ୍କ ବିରୋଧରେ ମାମଲାକୁ ପୁଣିଥରେ ଚାଲୁ କରାଯାଇଥିଲା । 

8 ମାର୍ଚ୍ଚ 2019

ବିବାଦର ସ୍ଥାୟୀ ସମାଧାନ ପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟି ଗଠନ କରିଥିଲେ । ଗଠନ ହୋଇଥିବା ପ୍ୟାନେଲ 8 ସପ୍ତାହ ମଧ୍ୟରେ ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ ସୁପ୍ରିମକୋର୍ଟ । 

1 ଅଗଷ୍ଟ 2019

ଅଯୋଧ୍ୟା ଜମି ବିବାଦ ନେଇ ସୁପ୍ରିମକୋର୍ଟ ମଧ୍ୟସ୍ଥତା କମିଟି ରିପୋର୍ଟ ଦାଖଲ କରିଥିଲା । ସାକ୍ଷ୍ୟ, ତଥ୍ୟ ଓ ପ୍ରମାଣ ଆଧାରରେ କମିଟି ରିପୋର୍ଟ ଦାଖଲ କରିଥିଲା । 

2 ଅଗଷ୍ଟ 2019

ମଧ୍ୟସ୍ଥତା କମିଟିର ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଉଭୟ ପକ୍ଷ ।  ଯାହାଫଳରେ ମାମଲାର ପୁନଃଶୁଣାଣି ପାଇଁ ଆବେଦନ ହୋଇଥିଲା । 

6 ଅଗଷ୍ଟ 2019

ଅଯୋଧ୍ୟା ବିବାଦୀୟ ଜମି ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଦୈନିକ ଶୁଣାଣି ପାଇଁ ରାଜି ହୋଇଥିଲେ । 6 ଅଗଷ୍ଟ 2019ରୁ ଆରମ୍ଭ ହୋଇଥିଲା ଦୈନିକ ଶୁଣାଣି । 

16  ଅକ୍ଟୋବର 2019

ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ଶେଷ ହୋଇଥିଲା । ଉଭୟ ପକ୍ଷର ଦାବି ଓ ପ୍ରମାଣ ଆଧାରରେ ଶୁଣାଣି ସମ୍ପୂର୍ଣ୍ଣ ହୋଇଥିବା ଘୋଷଣା କରିବା ସହ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । 

9 ନଭେମ୍ବର 2019

ସୁପ୍ରିମକୋର୍ଟର 5 ଜଣିଆ ଖଣ୍ଡପୀଠ ମାମଲାର ରାୟ ଶୁଣାଇଥିଲେ । ଅଯୋଧ୍ୟାର ବିବାଦୀୟ ସ୍ଥଳରେ ଥିବା 2.77 ଏକର ଜମିକୁ ହିନ୍ଦୁ ପକ୍ଷକୁ ମିଳିଥିଲା । ସେପଟେ ମସଜିଦ ନିର୍ମାଣ ପାଇଁ ମୁସଲିମ ପକ୍ଷରୁ ଭିନ୍ନ ସ୍ଥାନରେ 5 ଏକର ଜମି ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । 

25 ମାର୍ଚ୍ଚ 2020

28 ବର୍ଷ ପରେ ରାମଲାଲାଙ୍କୁ ଟେଣ୍ଟରୁ ନବନିର୍ମିତ ଫାଇବର ମନ୍ଦିରକୁ ସ୍ଥାନାନ୍ତର କରାଯାଇଥିଲା । 

5 ଅଗଷ୍ଟ 2020

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିଥିଲେ ପ୍ରଧାନମନ୍ତ୍ରୀ  କାର୍ଯ୍ୟକ୍ରମରେ ଆରଏସଏସ ସରସଂଘଚାଳକ ମୋହନ ଭାଗବତ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସାଧୁସନ୍ଥଙ୍କ ସମେତ ମୋଟ 175 ଜଣଙ୍କୁ ନିମନ୍ତ୍ରିତ କରାଯାଇଥିଲା 

No comments